ଡକ୍ଟର ବିଦ୍ୟାଧର ରାଉତ କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମର ଶ୍ରୀଯୁକ୍ତ ଜଟାଧାରୀ ରାଉତଙ୍କ ସୁପୁତ୍ର ଅଟନ୍ତି। ଡକ୍ଟର ରାଉତ ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ (INDIAN ARMY) କାର୍ଯ୍ୟରତ । ପେଷାରେ ଜଣେ ବନ୍ଧୁକଧାରୀ ଓ ନିଶାରେ ଲେଖନୀ ଚାଳନାକାରୀ । ଡକ୍ଟର ରାଉତଙ୍କ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ରହିଛି ଗଭୀର ଆତ୍ମ ସମୀକ୍ଷଣର ଦୃଷ୍ଟିଭଙ୍ଗୀ । ଭାରତରେ ବସବାସ କରୁଥିବା ଜନଜାତିମାନଙ୍କର ଜୀବନଧାରାକୁ ଲୋକଲୋଚନକୁ ଆଣିବାକୁ ଆଦିବାସୀଧାରା ଆଧାରିତ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଅଛି। ଏ ସମସ୍ତ ପ୍ରବନ୍ଧ ପାଠକୀୟ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ତାଙ୍କର "ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଶୈଳୀ" ପୁସ୍ତକଟି ସ୍ଵତନ୍ତ୍ର । ଶୈଳୀ ଏକ ବ୍ୟାପକ ଆୟତନର ବିଷୟଟିଏ । ଏଯାବତ୍ ଶୈଳୀ ସମ୍ପର୍କୀତ ପୁସ୍ତକକୁ ଯଦି ଖୋଜାଯାଏ, ତେବେ ହାତଗଣତି କେଇଖଣ୍ଡ ହେବ । ସେହି ଶୈଳୀକୁ ଆଧାର କରି ଡ. ରାଉତ ଅନେକ ନୂତନ ଶୈଳୀର ମାର୍ଗ ଉନ୍ମୋଚନ କରିଛନ୍ତି । ଏହି ନୂତନ ଶୈଳୀ ଦିଗନ୍ତ ଗବେଷଣାରତ ପାଠକ - ପାଠିକା, ଅଧ୍ୟାପକ - ଅଧ୍ୟାପିକା ଓ ନୂତନ ପିଢ଼ିର ଛାତ୍ର - ଛାତ୍ରୀମାନଙ୍କୁ ନିଶ୍ଚୟ ସହାୟ ହେବ ବୋଲି ଆଶା ଓ ବିଶ୍ବାସ।